
ଏକାକୀ ରହିବା ପାଇଁ ଆମେ ଭୟ କରୁ I ଭିଡ଼ ମଧ୍ୟରେ ରହିବା ଆମ ଅଭ୍ୟାସରେ ପରିଣତ ହୋଇ ଯାଇଛି I ଏହା ପାଟି ତୁଣ୍ଡ, କୋଳାହଲ, ମାନସିକ ଅତ୍ୟାଚାର ହେଉ ପଛେ ଆମକୁ ଲୋକଙ୍କ ମଧ୍ୟରେ ହିଁ ଭଲ ଲାଗେ । ଏକାନ୍ତ ଜୀବନ ଅସହ୍ୟ ହୋଇ ଉଠେ I ଆମେ ଏକାକୀ ଆସିଛୁ ଏବଂ ଏକାକୀ ମଧ୍ୟ ଯିବା । ତେଣୁ ଅନ୍ୟ ଉପରେ ନିର୍ଭର ନ ହୋଇ ଏକାକୀ ରହିବା ପାଇଁ ଶିଖିବା ଅଭ୍ୟାସ କରିବା ଉଚିତ I

ଏକାକୀ ଜୀବନ ଅନ୍ତଃଯାତ୍ରା ପାଇଁ ସୁଯୋଗ ନିର୍ମାଣ କରିଥାଏ I ନିଜକୁ ଭଲ ପାଇ ଜାଣିବା ପରେ ହିଁ, ଅନ୍ୟକୁ ଭଲ ପାଇବା ସମ୍ଭବ ହେବ I ଅନ୍ୟକୁ ଭଲ ପାଇବା ପାଇଁ ଇଛା, ସ୍ପୃହା ଏବଂ ଉତ୍ସୁକତା ଆସିବ I ଆମ ଚାରିପାଖ ଦୁନିଆରେ ଅହଂକାର ଏବଂ ଅଧିକାର ପାଇଁ ସଙ୍ଘର୍ଷ ଚାଲିଛି I ଦୁନିଆ ସବୁବେଳେ ସଂଘର୍ଷ ମୟ । ସର୍ବଦା ପରିବାର, ସମାଜ, ଆସ୍ଥା ଏବଂ ରାଷ୍ଟ୍ର ଦ୍ବନ୍ଦ୍ବର ବାତାବରଣ ରେ ଘାଣ୍ଟି ହେଉଛି I

ତଥାପି ଆମକୁ ଏକାନ୍ତ ଜୀବନ ଏତେ ପୀଡା ଦାୟକ ଓ କଷ୍ଟକର ହୁଏ I ନିଜ ଆତ୍ମୀୟ ସ୍ୱଜନ ହରାଇବା ବେଳେ, ବନ୍ଧୁ ବାନ୍ଧବ ଅକାରଣ ରେ ନିଜ ଠାରୁ ଦୁରେଇ ଗଲାବେଳେ, ଆମେ ହତାଶ ହୋଇ ପଡ଼ୁ I ଦୁଃଖ ରେ ମ୍ରିୟମାଣ ହୋଇ ଯାଉ I ଆତ୍ମ ବିଶ୍ୱାସ ହରାଇ ଥାଉ, ଆମେ ନିଜକୁ ଏକଲା, ନିଃଶ୍ଵ ମନେ କରୁ I
ଆମେ ଅନ୍ୟ ଠାରୁ ସହାନୁଭୂତି ସାଉଁଟିବା ପାଇଁ, ସାହାଯ୍ୟ ଓ ସୁବିଧା ହାସଲ ପାଇଁ, ମିଠା କଥା ଶୁଣି ପରାମର୍ଶ ପାଇବା ପାଇଁ ଏବଂ ଟିକିଏ କୋମଳ ସ୍ପର୍ଶ ପାଇଁ ବ୍ୟାକୁଳ ହୋଇ ଉଠୁ I ଆମେ ଟିକିଏ ପ୍ରେମ ଓ ସଦିଚ୍ଛା ପାଇଁ, ସାନ୍ତ୍ଵନା ଓ ସାହାଯ୍ୟ ପାଇଁ, ମନ କଥା ଶୁଣିବା ସାଥି ପାଇଁ, ସୁରକ୍ଷା ଓ ସେବା ପାଇବା ପାଇଁ ସମ୍ପର୍କ ର ବନ୍ଧନ କୁ ଅନିର୍ଵାର୍ଯ୍ୟ ମନେ କରୁ I
ତେବେ ଅନେକ ସମୟରେ ଏକାନ୍ତ ଅବସ୍ଥା ମଧ୍ୟ ଆମ ପାଇଁ ବେଶ ଉପଯୋଗୀ ଏବଂ ଆଶୀର୍ବାଦ ଭଳି କାମ କରେ I ଅନାବଶ୍ୟକ ଲୋକଙ୍କଠୁ ଦୁରେଇ ରହିବା ଆମ ପାଇଁ ଉଚିତ, ଆବଶ୍ୟକ ଓ ଶ୍ରେୟସ୍କର ହୋଇ ଥାଏ I ଏକାକୀ ରହିବା ନିସଙ୍ଗ ରହିବା ନୁହେଁ I ଏକାକୀ ଅବସ୍ଥା ନିଜକୁ ବୁଝିବା ପାଇଁ, ଜାଣିବା ପାଇଁ ସୁଯୋଗ ନିର୍ମାଣ କରି ଥାଏ I
ଏକାକୀ ଅବସ୍ଥା ଅନ୍ତଃ ଯାତ୍ରା ପାଇଁ ଉପଯୁକ୍ତ ବାତାବରଣ, ପରିବେଶ ପ୍ରସ୍ତୁତି କରିଥାଏ I ଅନ୍ୟ ସହିତ ସମ୍ପର୍କ ରକ୍ଷା ସାମାଜିକ ବ୍ୟବସ୍ଥାରେ ଆବଶ୍ୟକତା ରହିଛି I ଏହା ସାମାଜିକ ଜୀବନର ଅଂଶ ବିଶେଷ I ଆମେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳ I ଏହା ବାହ୍ୟ ଜଗତର ସମ୍ପର୍କ I
ନିଜ ମାନସିକ ଏବଂ ବୈଚାରିକ ବ୍ୟକ୍ତିତ୍ୱ ଖାପ ନ ଖାଇଲେ, ସମ୍ପର୍କ ମଧ୍ୟ କଷ୍ଟ ଦାୟକ ହୁଏ I ନିଜର ଆତ୍ମିକ ବିକାଶରେ ବାଧା ହୁଏ I ସାମାଜିକ ସମ୍ପର୍କ ଯଥାର୍ଥତା ରହିଛି I ତେବେ, ନିଜକୁ ଭଲ ପାଇବାରେ ଏହା ବ୍ୟାଘାତ ଘଟାଏ I ବହି ସଙ୍ଗ ଭଳି ନିଜ ମଧ୍ୟରେ ଅନ୍ତର ର ସାଥି ଖୋଜିବା ପ୍ରଜ୍ଞା ପୁରୁଷ ପାଇଁ ଆବଶ୍ୟକ ହୁଏ ।
ଏକାନ୍ତ ଅବସ୍ଥା ନିଜର ଆତ୍ମିକ ବିକାଶ କୁ ସାହାଯ୍ୟ କରେ, ନିଜକୁ ବୁଝିବା ପାଇଁ ସୁଯୋଗ ଦିଏ, ନିଜ ମାନସିକ ସ୍ଥିତି କୁ ସୁଧାରି ବାରେ ସାହାଯ୍ୟ କରେ I ଏକାକୀ ଅର୍ଥ ନିଃସଙ୍ଗତା ନୁହେଁ, ଏହା ନିଜକୁ ଜାଣିବା, ବୁଝିବା ପାଇଁ ପ୍ରାଥମିକତା ଦେବା I ଆମେ ପାରିବାରିକ ପରିବେଶ ରେ ରହି ଅନ୍ୟ ଉପରେ ଅଧିକ ନିର୍ଭର ଶୀଳ ହୋଇ ପଡିଛୁ I
ସାମାଜିକ ପରିବେଶରେ ଅନ୍ୟ କୁ ଅଜାଣତରେ ଅନୁସରଣ କରିବାରେ ଲାଗି ରହିଛୁ I ଏକାକୀ ଜୀବନ ନିଜ ଭିତରକୁ ଦେଖିବାକୁ ସୁଯୋଗ ସୃଷ୍ଟି କରେ I ଆମ ଦୃଷ୍ଟିକୋଣ ଅନ୍ତଃମୁଖି ହୁଏ I ଆମ ବିଚାର ବଦଳି ଯାଏ, ଆତ୍ମାକୁ ଜାଣିବାକୁ ଚେଷ୍ଟା କରେ I ଆମ ଆନ୍ତଃର୍ନିହିତ ଶକ୍ତି ଜାଗ୍ରତ ହୁଏ I ହତାଶ ବୋଧ ବଦଳରେ ଆତ୍ମ ବୋଧ ଜାଗି ଉଠେ I
ଏକାକୀ ଅବସ୍ଥାରେ ଆମେ ଆଉ ଜଣକୁ ଖୋଜିବା ପାଇଁ ବ୍ୟଗ୍ର ହେଉ, ଟିକିଏ ସାନିଧ୍ୟ ପାଇଁ ସହାନୁଭୁତି ପାଇଁ, ଭାବର ଆଦାନ ପ୍ରଦାନ ପାଇଁ ବ୍ୟାକୁଳ ହେଉ l ସେତେ ବେଳେ ଅନ୍ୟ ହିଁ ସବୁକିଛି ହୋଇଥାଏ ଏବଂ ନିଜର ସ୍ଥିତି ଗୌଣ ହୋଇ ଯାଏ । ଅନ୍ୟ ଠାରୁ ପ୍ରେମ ଖୋଜି ଥାଉ, ତାହାର ଅଭାବରେ ଅବସାଦ ହୋଇଥାଏ l ପାଇବା ଆଶା କରି ନ ପାଇଲେ ଭାଙ୍ଗି ପଡ଼ୁ ।
ଏକାନ୍ତ ଅବସ୍ଥାରେ ନିଜ ମଧ୍ୟରେ ତଲ୍ଲିନ ଥାଉ | ଅନ୍ୟ କାହାରୀ ଆବଶ୍ୟକତା ନଥାଏ । ନିଜ ମଧ୍ୟରେ ସୁଖ ଖୋଜୁ । ସାରା ସଂସାର ଛୋଟ ହୋଇ ଯାଏ । ନିଜ ଅନ୍ତଃ ଜଗତରେ ଆଲୋକର ଶିଖାଟି କେଉଁଠି ଅଛି ଖୋଜିବାକୁ ଲାଗି ପଡ଼ୁ । ନିଜ ମଧ୍ୟରେ ଗୋଟିଏ ବିରାଟ ଜଗତର ସନ୍ଧାନ ମିଳେ । ସେଠାରେ ବିଶ୍ଵ ଚେତନ ର ଅନହତ ନାଦ ଶୁଭେ ।
ଏହା ପରବର୍ତ୍ତି ଅବସ୍ଥା କୈବଲ୍ୟ ଅବସ୍ଥା, ଯେଉଁଠି ଅନ୍ୟ ପାଖରେ ନିର୍ଭରଶୀଳତା ନ ଥାଏ କିମ୍ବା ନିଜ ସୀମିତ ଜୀବନରେ ମଧ୍ୟ ଆଗ୍ରହ ନ ଥାଏ l ଭଭୟ ଅନାବାବଶ୍ୟକ ହୋଇ ପଡ଼ନ୍ତି । ଏହା ଟୈତନ୍ୟ ଅବସ୍ଥା, ଅନନ୍ତ ଚେତନାକୁ ଜାଣିବା ପାଇଁ ପ୍ରଚେଷ୍ଟା । ପ୍ରଥମେ ଅଶାନ୍ତି, ଦ୍ୱିତୀୟ ରେ ଶାନ୍ତି ଏବଂ ତୃତୀୟ କୈବଲ୍ୟ ଅବସ୍ଥାରେ ଆନନ୍ଦ ବୋଧ ହୁଏ । ଏହା ଚୈତନ୍ୟ ଅବସ୍ଥା, ଏହା ସମାଧି ଏବଂ କୈବଲ୍ୟ ପ୍ରାପ୍ତି ହୁଏ।
ରଶ୍ନା ରାଣୀ ହରିଚନ୍ଦନ