ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୧.୦୪.୨୦୨୦) :-କରୋନା ଭୁତାଣୁ ସାରା ବିଶ୍ୱରେ ପ୍ରଚଣ୍ଡ ଭୟ ସୃଷ୍ଟି କରି ପ୍ରାଣଘାତି ସାଜିଥିବା ବେଳେ ବର୍ତ୍ତମାନ ଚାଷୀକୂଳ ବେସାହାରା ହୋଇପଡିଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ର ପରିବା ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି l ଏହି ବ୍ଲକ୍ ର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକ୍ ର କଞ୍ଚଣା ଓ ପୁସ୍ତପୁର ଗ୍ରାମର ଚାଷୀ ବାଇଗଣ ଚାଷ ପାଇଁ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସେମାନଙ୍କର ବେପାର ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଛି l ବେଗୁନିଆପଡ଼ା ସ୍ଥିତ ଗେଞ୍ଜରା ପଲ୍ଲୀର ବାଇଗଣ ଚାଷୀ ଏ. ସିରଜୁଲୁ ଦୋରା ତାଙ୍କ ବାଇଗଣ ଗଛରେ ବାଇଗଣ ପାଚି ଯାଇଥିଲେ ସୁଦ୍ଧା ଲୋକ କେହି କିଣିବାକୁ ଆସୁନାହାନ୍ତି l ଫଳରେ ବାଇଗଣକୁ ମାଟି ଖୋଳି ପୋତିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କୋହଭରା ସ୍ଵରରେ ପ୍ରକାଶ କରିଛନ୍ତି l ସେପଟେ ବାଇଗଣ ଚାଷ ପାଇଁ ରାଜ୍ୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁମଣ୍ଡଳ ଓ ଭାଲିଆଝର ଗ୍ରାମର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଏହି ସମୟରେ ବାଇଗଣ ବସ୍ତା ପ୍ରତି ୧୫୦୦ଟଙ୍କା ଦରରେ ବିକ୍ରି ହେବାକୁ ଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ ବସ୍ତାକୁ ୬୦ ରୁ ୧୦୦ ଟଙ୍କା ବା ଅତି ବେଶୀରେ ୧୨୦ ଟଙ୍କା ଦରରେ ବିକ୍ରି କଲେବି ଗ୍ରାହକ ଆସୁନାହାନ୍ତି l
ଅପର ପକ୍ଷରେ କଞ୍ଚଣା ଓ ପୁସ୍ତପୁର ଚାଷୀ ମଧ୍ୟ ଅବସାଦରେ ଦିନ କାଟୁଛନ୍ତି l କୋଦଳା ଠାରୁ କଞ୍ଚଣା ରାସ୍ତା ପାର୍ଶ୍ଵରେ ପରିବା ହlଟ ଭଳି ଏହି ସମୟରେ ଗ୍ରାହକଙ୍କ ଭିଡ ଲାଗୁଥିବା ବେଳେ ଏବେ ସେହି ସ୍ଥାନ ଗ୍ରାହକ ବିହୀନ ହୋଇପଡିଛି l କେବଳ ଚାଷୀ ପରିବା ଧରି ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ ଚାହିଁ ବଳକା ପରିବା ଘରକୁ ଆଣିବା ପାଇଁ ବାଧ୍ୟ ହେଉଛନ୍ତି l ଏହି ବ୍ଲକ୍ ରେ ୧୦୦୦ ହେକ୍ଟରରୁ ଅଧିକ ଜମିରେ ବାଇଗଣ ଚାଷ ଓ ୫୦୦ ହେକ୍ଟରରୁ ଅଧିକ ଜମିରେ ପରିବା ଚାଷ ହେଉଥିବା ବେଳେ ବର୍ତ୍ତମାନ ପରିବା ବିକ୍ରି ହେଉନଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l କରୋନା ଭୁତାଣୁ ଲୋକଙ୍କ ଜୀବନ ସହିତ ଯୁଦ୍ଧ କରୁଥିବା ବେଳେ ଚାଷୀଙ୍କ ଜୀବିକା ଉପରେ ମଧ୍ୟ କୁଦୃଷ୍ଟି ପକାଇଛି ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି l