ଖୋର୍ଦ୍ଧା- LR NEWS ତା.୧୧/୦୪- ଖୋର୍ଦ୍ଧା ଠାରୁ ପୁରୀ ପର୍ଯ୍ୟନ୍ତ ଏକ ଜାତୀୟ ରାଜପଥ ନିର୍ମାଣ କରାଯିବା ପାଇଁ ଖୋର୍ଦ୍ଧା ବିକାଶ ମଂଚ ତରଫରୁ ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ଥାନୀୟ ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀଙ୍କ ନିକଟରେ ଏହି ଦାବୀକୁ ଦୋହରାଇଛନ୍ତି ।ପ୍ରକାଶ ଥାଉକି, ପୁରୀ ସହିତ ଖୋର୍ଦ୍ଧାର ପୁରାତନ ଯୁଗରୁ ନିବିଡ଼ ଆଧ୍ୟାତ୍ମିକ ସମ୍ପର୍କ ରହିଆସିଛି । କାରଣ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ କଳା ପାହାଡ଼ ଶ୍ରୀମନ୍ଦିରକୁ ଆକ୍ରମଣ କରି ଚତୁର୍ଦ୍ଧାମୃର୍ତିଙ୍କୁ ନେଇ ଗଙ୍ଗା ନଦୀ କୂଳରେ ପୋଡ଼ି ଦେଇଥିଲେ । ଏହି ସମୟରେ ବିଶର ମହାନ୍ତି ମହାପ୍ରଭୁଙ୍କର ବ୍ରହ୍ମଙ୍କୁ ଆଣି କୁଜଙ୍ଗରେ ଲୁଚାଇ ରଖିଥିଲେ । ପରବର୍ତୀ ସମୟରେ ଖୋର୍ଦ୍ଧା ରାଜ୍ୟର ପ୍ରତିଷ୍ଠାତା ଗଜପତି ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କୁୁ ଆଣି ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା ଠାରେ ମନ୍ଦିର ତୋଳି ଦାରୁବେଶରେ ଅବସ୍ଥାପିତ କରାଇଥିଲେ । ଏହି ଦିନ ଠାରୁ ଖୋର୍ଦ୍ଧା ଦୁର୍ଗରୁ ମନ୍ଦିରର ପରିଚାଳନା କାର୍ଯ୍ୟ କରାଯାଉଥିଲା ।


ଏହି ରାସ୍ତାଟି ନିର୍ମାଣ କରାଗଲେ ଏହାର ଆଖ ପାଖରେ ଥିବା ୭ ଗୋଟି ବିଧାନସଭା କ୍ଷେତ୍ରର ଅର୍ଥନୈତିକ, ଆଧ୍ୟାତ୍ମିକ, ପରିବହନ, କୃଷି, ମତ୍ସ୍ୟଚାଷ ଇତ୍ୟାଦି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତନ ଆସିପାରିବ । ଏହି ବିଧାନ ସଭା କ୍ଷେତ୍ରଗୁଡ଼ିକ ହେଉଛି ଖୋର୍ଦ୍ଧା, ଜଟଣୀ, ପିପିଲି, ସତ୍ୟବାଦୀ, ବ୍ରହ୍ମଗିରି, ଚିଲିକା ଓ ପୁରୀ । ହଜାର ହଜାର ଯୁବକ କର୍ମ ସଂସ୍ଥାନ ପାଇବା ସଂଗେ ସଂଗେ ଆତ୍ମନିର୍ଭରଶୀଳ ହେବେ ।
ଏହି ରାସ୍ତାଟି ନିର୍ମାଣ କରାଯାଇ ପାରିଲେ ଦକ୍ଷିଣ, ପଶ୍ଚିମ ଏବଂ ଉତର ଭାରତର ଲକ୍ଷ ଲକ୍ଷ ଲୋକ ଏହି ରାସ୍ତା ଦେଇ ପୁରୀ ଯିବାର ସୁଯୋଗ ପାଇବେ ଏବଂ ଭୁବନେଶ୍ୱର ଅପେକ୍ଷା ୬୦ କି.ମି. ଦୂରତା କମିଯିବ ।




ଆଜିର ଏହି ଅଭିଯାନରେ ଶ୍ରୀ ପୃଷ୍ଟିଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ ସମାଜ ସେବୀ ଡ଼.ପ୍ରଫୁଲ୍ଲ ସାମନ୍ତରାୟ, ଇତିଶ୍ରୀ ସାହୁ, ଶିକ୍ଷାବିତ୍ ଗୁଣନିଧି ମହାପାତ୍ର, ଧନେଶ୍ୱର ବିଧାର, ଶିକ୍ଷାବିତ୍ ଡ଼.ବୃନ୍ଦାବନ ପଣ୍ଡା, ସମବାୟବିତ୍ ନିତ୍ୟାନନ୍ଦ ଦାଶ, ସମ୍ପର୍କର ସଭାପତି ଲଳିତ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ।