କୋଲାବ ନଦୀ ନିକଟରେ ବନ୍ଧୁଙ୍କ ଜନ୍ମଦିନ ପାଳିବାକୁ ଯାଇ ୩ଜଣ ଛାତ୍ର ପାଣିରେ ବୁଡ଼ିଯିବା ଭଳି ଦୁଃଖଦ ଘଟଣା ଆଜି କୋରାପୁଟ ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି।

କୋରାପୁଟ(LR NEWS): କୋଲାବ ନଦୀ ନିକଟରେ ବନ୍ଧୁଙ୍କ ଜନ୍ମଦିନ ପାଳିବାକୁ ଯାଇ ୩ଜଣ ଛାତ୍ର ପାଣିରେ ବୁଡ଼ିଯିବା ଭଳି ଦୁଃଖଦ ଘଟଣା ଆଜି କୋରାପୁଟ ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି । ଘଟଣାରୁ ପ୍ରକାଶ,ଆଜି କୋରାପୁଟ ସରକାରୀ ମହାବିଦ୍ୟାଳୟର ୭ ଜଣ ଛାତ୍ର ନିଜର ଜଣେ ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଦିନ ୧୧ଟା ବେଳକୁ କଲେଜରୁ ବାହାରି ଯାଇଥିଲେ । ତେବେ ସେମାନେ ନିକଟରେ ଥିବା କୋଲାବ ନଦୀ କୂଳ ନିକଟକୁ ଯାଇ ସେଠାରେ ଆୟୋଜନ କରାଯାଇଥିବା ଭୋଜିରେ ସାମିଲ ହୋଇଥିଲେ । ମାତ୍ର ସେଠାରେ ନଦୀରେ ଗାଧୋଉଥିବା ବେଳେ ଜଣେ ସାଙ୍ଗର ଗୋଡ଼ ଗୋଡ଼ ଖସିଯିବାରୁ ସେ ବୁଡ଼ି ଯିବାର ଦେଖି ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ପାଣି ଭିତରେ ବୁଡ଼ି ଯାଇଥିଲେ।ଏହାଦେଖି ଅନ୍ୟମାନେ ସଙ୍ଗେସଙ୍ଗେ ଦମକଳବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଅଚେତ ଅବସ୍ଥାରେ ସମସ୍ତଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ରମାକାନ୍ତ ପଟ୍ଟନାୟକ,ମନ୍ମଥ ସାସମାଲ ଏବଂ ସନ୍ଦୀପ ପୂଜାପି ଏବଂ ସେମାନେ ଯୁକ୍ତ ତିନି ୨ୟ ବର୍ଷର କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ର ବୋଲି ଜଣାପଡ଼ିଛି । ଉକ୍ତ ଘଟଣାରେ ଆଉ ଜଣେ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ଏଭଳି ଘଟଣା ପରେ ମେଡ଼ିକାଲ ପରିସରରେ ମୃତକଙ୍କ ପରିବାରବର୍ଗ ଓ ସାଙ୍ଗ ସାଥୀଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment