ବାଙ୍କୀ (କଟକ)୧୫/୨/୨୦ ଗଙ୍ଗାଧର LRNews: ରାଜନୈତିକ ଶତ୍ରୁତାରୁ ଘଟିଥିବା ଏକ ବୀଭତ୍ସ ହତ୍ୟାକାଣ୍ଡରେ ଦୋହଲି ଯାଇଛି ବାଙ୍କୀ । ଜଣେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ଆଜି ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତମାନେ । ଚ଼ିକିତ୍ସା ଚ଼ାଲୁଥିବା ସୟୟରେ ଉଭୟଙ୍କ ମୃତ୍ୟୁ ଘଟିଛି ।
ମୃତକ ଦୁଇ ଜଣ ହେଉଛନ୍ତି ନୂଆଗାଁ ଖଜୁରୀପଦାର ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂହ । ସେ ଦୁହେଁ ବବଲୁ ସିଂ ନାମକ ଜଣେ ଯୁବକଙ୍କ ସହ ଦୁଇଟି ବାଇକରେ ବାଙ୍କୀ ବ୍ଲକ ଅଫିସରୁ ଫେରୁଥିବା ବେଳେ ସେମାନଙ୍କ ଉପରେ ଚ଼ାରି ଜଣ ଦୁର୍ବୃତ୍ତ ଧାରୁଆ ଧାତବ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ଦିନ ପାଖାପାଖି ଦୁଇଟା ବେଳେ ଜୋକଲାଞ୍ଜି ଡ୍ୟାମ୍ ନିକଟରେ ଘଟିଥିଲା ।
ଦୁର୍ବୃତ୍ତମାନେ ଫାର୍ସାରେ ଭଗବାନଙ୍କୁ ଏତେ ଜୋର୍ ହାଣିଥିଲେ ଯେ ତାଙ୍କର ଗୋଟିଏ ଗୋଡ଼ ଘଟଣା ସ୍ଥଳରେ ଶରୀରରୁ ଅଲଗା ହୋଇଯାଇଥିଲା । ଦୁଇ ଜଣଙ୍କୁ ପ୍ରଥମେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସାମ୍ବାଦିକ ଆଦିତ୍ଯ ରଣସିଂହଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଅତି ଗୁରୁତର ଅବସ୍ଥାରେ ସ୍ୱାଇଁଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଆକ୍ରମଣରୁ ରକ୍ଷା ପାଇଯାଇଥିଲେ ବବଲୁ । ଆଦିତ୍ୟ ରଣସିଂହ ଜଣେ ସ୍ଥାନୀୟ ସାମ୍ବାଦିକ ଥିବା ଜଣାଯାଇଛି ।
ଏହି ଆକ୍ରମଣ ଯୋଜନାବଦ୍ଧ ଥିବାର ସୂଚ଼ନା ପାଇଛି ପୋଲିସ । କୁହେଯାଉଛି ଯେ ଚ଼ାରି ଜଣ ଦୁର୍ବୁତ୍ତ ରାସ୍ତାର ଉଭୟ ପାର୍ଶ୍ବରେ ତାର ଟାଣି ଗଛ ମୂଳେ ଜଗିରହିଥିଲେ । ସେ ତାରରେ ବାଜି ବାଇକ୍ ଦୁଇଟି ପଡ଼ିଯିବା ପରେ ଦୁର୍ବୁତ୍ତମାନେ ଫାର୍ସା ସମେତ ବିଭିନ୍ନ ମାରଣାସ୍ତ୍ରରେ ଦୁଇ ଜଣଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲେ । ଭଗବାନ ସ୍ବାଇଁଙ୍କ ଗୋଡ, ମୁଣ୍ଡ ଓ ବେକରେ ଗଭୀର ଆଘାତ ହୋଇଥିଲା
‘‘ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଅଛି ବୋଲି କହିଛନ୍ତି ମୃତକ ଦ୍ୱୟଙ୍କ ପରିବାର । ଏ ବିଷୟରେ ଏବେ କିଛି କହିବା ଠିକ ହେବନି । ଅନୁସନ୍ଧାନ ଆରମ୍ଭ ହୋଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ତଥ୍ୟ ଶୀଘ୍ର ସାମନାକୁ ଆସିବ,’’ କହିଛନ୍ତି ଘଟଣାସ୍ଥଳରେ ପହଞ୍ଚିଥିବା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ (ଏସ୍.ପି.) ରାଧାବିନୋଦ ପାଣିଗ୍ରାହୀ । ବୈଦେଶ୍ବର ପୋଲିସ ଓ ବାଙ୍କୀ ପୋଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି ।