ପଦ୍ମଜ ଓଡ଼ିଆ ସାହିତ୍ୟର ଦିଗବାରେଣୀ ଖୁଣ୍ଟି ଖୋର୍ଦ୍ଧାରେ ପଦ୍ମଜ ସାହିତ୍ୟ ଉତ୍ସବ ୨୦୨୬ ପାଳିତ।

ଖୋର୍ଦ୍ଧାLR NEWS : ତା ୧୬,୩,୨୦୨୬ ଚର୍ଯ୍ୟାୟୁଧ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ଜୟୀରାଜଗୁରୁ ଟାଉନହଲରେ ଓଡିଶାର ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ପଦ୍ମଜ ପାଳଙ୍କ ଅଶୀତମ ଜନ୍ମଦିବସ ଅବସରରେ ଆୟୋଜିତ ପଦ୍ମଜ ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ପଦ୍ମଜ ପାଳଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରି ସାମ୍ପ୍ରତିକ ସମୟରେ ଲେଖକମାନଙ୍କର ଦାୟିତ୍ୱବଦ୍ଧତା ସମ୍ପର୍କରେ ସୂଚନା ଦେବା ସହ ପଦ୍ମଜ ପାଳ ଓଡ଼ିଆ ସାହିତ୍ୟର ଦିଗବାରେଣୀ ଖୁଣ୍ଟି ବୋଲି ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଚର୍ଯ୍ୟାୟୁଧର ସଭାପତି ଅଭିଷେକ ସିଂସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ୱତ ଉତ୍ସବରେ ଆମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଅତିଥିମାନଙ୍କୁ ସଭାପତି ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସୁଶ୍ରୀ ରିପ୍ସା ସୁହାନିଙ୍କ ପ୍ରାରମ୍ଭିକ ନୃତ୍ୟ ପରେ ଆକାଶବାଣୀର ଉଦଘୋଷିକା ତଥା ମଞ୍ଚ ସଂଚାଳିକା ମିତା ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ କଥାକାର ତପନ କୁମାର ମହାପାତ୍ର ପଦ୍ମଜ ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଉତ୍ସବରେ ଉଦଘାଟକ ଭାବେ ବିଶିଷ୍ଟ ନାଟ୍ୟକାର ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀ ଓ ବିଶିଷ୍ଟ ଅତିଥି ଭାବେ ପ୍ରଖ୍ୟାତ ଭାଷାବିତ ଓ ସମାଲୋଚକ ପ୍ରଫେସର ନଟବର ଶତପଥୀ ଯୋଗଦେଇ ପଦ୍ମଜ ପାଳଙ୍କ କଥା ସାମ୍ରାଜ୍ୟ ସମ୍ପର୍କରେ ବକ୍ତବ୍ୟ ଦେବା ସହ ଲେଖକମାନଙ୍କର ପ୍ରତିବଦ୍ଧତା ଓ ଦୃଷ୍ଟିକୋଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଲେ ପ୍ରତି ଲେଖକ ଜଣେ ସ୍ୱାଧୀନଚେତା ମଣିଷ । ଭୂମିରୁ ଭୂମା ପର୍ଯ୍ୟନ୍ତ ତା’ର ବ୍ୟାପ୍ତି । ବିଶ୍ୱ ଚେତନାରୁ ଯାହା ଆସେ ସେ ତାକୁ ନିଜ ଲେଖାରେ ପ୍ରତିଫଳିତ କରେ ଓ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଏ । ପଦ୍ମଜ ପାଳଙ୍କ ଗଳ୍ପ ଓ ଉପନ୍ୟାସରେ ଦୁଃଖ ଭୋଗୁଥିବା ମଣିଷର କଥା ସହ ସାମ୍ପ୍ରତିକ ସମୟର ଜାଗତିକ ସମସ୍ୟା ଓ ମଣିଷର ବିବିଧ ଦୃଷ୍ଟିକୋଣ କିପରି ପ୍ରତିଫଳିତ ହୋଇଛି ତାହା ଆଲୋଚନା କରିଥିଲେ । ପ୍ରଫେସର ନଟବର ଶତପଥୀ ନିଜ ବକ୍ତବ୍ୟରେ କହିଲେ ଗାଳ୍ପିକମାନେ ଗଲ୍ପଭୂମିର ଐତିହ୍ୟ ଓ ସାଂସ୍କୃତିକ ଜୀବନକୁ ନେଇ ଗଳ୍ପ ରଚନା କରିବା ଆବଶ୍ୟକ । ନିଜ ଦୃଷ୍ଟିଭଙ୍ଗୀ ଓ ଶୈଳୀ ମାଧ୍ୟମରେ ଓଡ଼ିଶାର ଜୀବନଧାରା ସାଂସ୍କୃତିକ ବିବର୍ତ୍ତନ ଉପସ୍ଥାପନ କରିବାରେ ସେ ଏକ ବାହକ । ପଦ୍ମଜଙ୍କ ଲେଖାରେ ଏହା ପ୍ରତିଫଳିତ ହେବା ସହ ଲୋକପ୍ରାଣର ଉପଲବ୍ଧି ସ୍ପଷ୍ଟ ଭାବେ ପ୍ରକାଶିତ ହୋଇଛି ।

ପକ୍ଷୀଘରର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶ୍ରେଷ୍ଠ ପ୍ରକାଶକ ବନୋଜ ତ୍ରିପାଠୀ ପଦ୍ମଜଙ୍କୁ ଓଡ଼ିଆ ସାହିତ୍ୟର ଦିଗବାରେଣୀ ଖୁଣ୍ଟି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।ମଞ୍ଚରେ ସ୍ୱତନ୍ତ୍ର ଅତିଥିଭାବେ ଉପସ୍ଥିତ ବିଶିଷ୍ଟ କଥାକାର ପଦ୍ମଜ ପାଳ କହିଲେ ପ୍ରତ୍ୟକ ଲେଖକ ସ୍ୱତନ୍ତ୍ର । ସେ କାହାଦ୍ୱାରା ପ୍ରଭାବିତ ଆବଶ୍ୟକ ନୁହେଁ । ଲେଖକ ନିଜ ମଧ୍ୟରେ ନିଜକୁ ଆବିଷ୍କାର କରିବା ଆବଶ୍ୟକ ଓ ନିଜକୁ ଅତିକ୍ରମ କରିପାରିଲେ ତାହା ଯଥାର୍ଥ ସାହିତ୍ୟ ଭାବେ ପରିଗଣିତ ହୋଇପାରିବ । ଏହାପରେ ପକ୍ଷୀଘର ଦ୍ୱାରା ପ୍ରକାଶିତ ପଦ୍ମଜ ପାଳଙ୍କ ରଚିତ ଉପନ୍ୟାସ “ଗୋଟିଏ କଳା ଦାମୁଡ଼ିର ଜୀବନ ମୃତ୍ୟୁ ରହସ୍ୟ ” ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏହି ଅବସରରେ ଚଳିତ ବର୍ଷର ଖୋର୍ଦ୍ଧା ସମ୍ପଦ ସମ୍ମାନ ଖୋର୍ଦ୍ଧାର ବିଶିଷ୍ଟ ଚିକିତ୍ସକ ଓ ସାହିତ୍ୟିକ ଡାକ୍ତର ଇନ୍ଦ୍ରମଣି ଜେନାଙ୍କୁ ଅତିଥିମାନେ ପ୍ରଦାନ କରିଥିଲେ । ଏଥିସହ ବର୍ଷୀୟାନ ସାହିତ୍ୟିକା ଗୋଲାପ ମଞ୍ଜରୀ କରଙ୍କୁ ପଦ୍ମଜ ସାହିତ୍ୟ ସମ୍ମାନ ଓ ଯୁବ ଲେଖକ ସୁମିତ ପଣ୍ଡାଙ୍କୁ ଚଳିତ ବର୍ଷର ପଦ୍ମଜ ପ୍ରତୀକ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିବା ପରେ ମଞ୍ଚରେ ନାଟ୍ୟଗ୍ରାମର ବିଶିଷ୍ଟ ଅଭିନେତ୍ରୀ ସୁଜାତା ପ୍ରିୟମ୍ବଦାଙ୍କ ଦ୍ୱାରା ପଦ୍ମଜ ପାଳଙ୍କ ବହୁ ଚର୍ଚ୍ଚିତ ଗଳ୍ପ ନମିତା ପାଇଁ ଗୋଟିଏ ସମ୍ବାଦର ନାଟ୍ୟରୂପ ଉପସ୍ଥାପନା ଖୁବ ଆକର୍ଷଣୀୟ ଥିଲା ।

ଏହାପରେ ଚର୍ଯ୍ୟାଯୁଧର ସମ୍ପାଦିକା ସବିତା ପାଳଙ୍କ ସମେତ ଅନ୍ୟ ଅତିଥିମାନେ ଅଭିନେତ୍ରୀ ସୁଜାତା ପ୍ରିୟମ୍ବଦା,ମଞ୍ଚ ସଂଚାଳିକା ମିତା ପଟ୍ଟନାୟକ,ଗାଳ୍ପିକ ଡକ୍ଟର ନିରଞ୍ଜନ ମହାନ୍ତି, ଗବେଷିକା ପ୍ରଜ୍ଞାଶା ପଟ୍ଟନାୟକ ଓ ବନୋଜ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା । ଉକ୍ତ ଉତ୍ସବରେ ଓଡ଼ିଶାର ବିଶିଷ୍ଟ ଗାଳ୍ପିକା ସରୋଜିନୀ ସାହୁ, ଡକ୍ଟର ହିରଣ୍ମୟୀ ମିଶ୍ର, ଆର୍ଯ୍ୟ ଯଜ୍ଞଦତ୍ତ, ପ୍ରକାଶ ମହାପାତ୍ର, ସରୋଜ ବଳ,ଜୟନ୍ତୀ ରଥ, ପ୍ରବୀଣା ମହାନ୍ତି, ଡକ୍ଟର ଆଶୁତୋଷ ମିଶ୍ର,କାମଦେବ ମହାରଣା, ଡକ୍ଟର ବାସୁଦେବ କର, ଡକ୍ଟର ସୁବ୍ରତ ସେନାପତି,ଡକ୍ଟର ସୁରେଶ ଛୋଟରାୟ,ବିଭୁ ହୋତା,ଐତିହାସିକ ସତ୍ୟବାଦୀ ବଳିୟାରସିଂହ, କ୍ୟାପଟେନ ଡକ୍ଟର ମିନତୀ ପଟ୍ଟନାୟକ,ଗୋପାଳ କୁଷ୍ଣ ଦାସ, ବିଶ୍ୱନାଥ ମହାପାତ୍ର, ଶୁଭ୍ରାଂଶୁ ବିଶ୍ୱାଳ, ରୋଜାଲିନ ମହାରଣା, ଅମୀୟ ପଣ୍ଡା, ଡକ୍ଟର ଶଶୀରଥଙ୍କ ସମେତ ଦୁଇଶହରୁ ଉର୍ଦ୍ଧ୍ଵ ସାହିତ୍ୟିକ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଅମ୍ଲାନ ଶକ୍ତି ପାଳ ଓ ନୂତନ କ୍ରାନ୍ତି ପାଳ ସହଯୋଗ କରିଥିଲେ।

Comments (0)
Add Comment