ରାଜ୍ୟସ୍ତରୀୟ ଗୁରୁଜଙ୍ଗ କପ୍ କ୍ରିକେଟ୍ ଉଦଘାଟିତ, ସୁଆଁଗ ଓ ବାଲିଆପଡ଼ା ବିଜୟୀ


ଖୋର୍ଦ୍ଧା-ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ୍ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍ ଟୁର୍ନାମେଂଟ୍ । ଉଦଘାଟନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବୋଲଗଡ଼ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ଟୁର୍ନାମେଂଟକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟିତ କରିଥିଲେ । ଆଜି ଦୁଇଟି ମ୍ୟାଚ ହୋଇଥିବା ବେଳେ,. ପ୍ରଥମ ମ୍ୟାଚରେ ଅରିଶଲକୁ ୩୫ରନରେ ହରାଇ ଭୁବନେଶ୍ୱରର ସୁଆଁଗ ଦଳ ବିଜୟ ହୋଇଥିଲେ । ସେହିପରି ୨ୟ ମ୍ୟାଚରେ ଖୋର୍ଦ୍ଧାର ଭାଲିଆବାଡ଼ି ଦଳକୁ ୬ ଉଇକେଟରେ ହରାଇ ଭୁବନେଶ୍ୱରର ବାଲିଆପଡ଼ା ଦଳ ବିଜୟ ହୋଇଥିଲା । ପ୍ରଥମ ମ୍ୟାଚରେ ସୁଆଁଗ ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ।

ଦଳ ନିର୍ଦ୍ଧାରିତ ୧୬ ଓଭରରେ ୩ ଉଇକେଟ ହରାଇ ୨୧୬ରନ କରିଥିଲେ । ଦଳ ପକ୍ଷରୁ ସମୀର ବଡ଼ଜେନା ୨୬ଟି ବଲରୁ ୮୧ ଓ ସୌମିତ୍ର ସେଠୀ ୨୪ଟି ବଲରୁ ୬୦ରନ କରିଥିଲେ । ଜବାବରେ ଅରିଶଲ ଦଳ ୧୬ ଓଭରରେ ୭ ଉଇକେଟ ହରାଇ ୧୮୧ରନ କରିବାକୁ ସକ୍ଷମ ହୋଇଥିଲେ । ଅରିଶଲ ଦଳ ପକ୍ଷରୁ ସୁଭେନ୍ଦୁ ସାହୁ ସର୍ବାଧିକ ୩୫ଟିବଲରୁ ୭୬ରନ କରିଥିଲେ । ସେହିପରି ୨ୟ ମ୍ୟାଚରେ ଭାଲିଆବାଡ଼ି ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୨୨୮ରନ କରିଥିଲେ । ଦଳ ପକ୍ଷରୁ ସୌମ୍ୟରଂଜନ ମହାପାତ୍ର ୨୩ବଲରୁ ୭୪ରନ ଓ ଶିବା ସାମନ୍ତରାୟ ୩୬ଟି ବଲରୁ ୫୫ରନ କରିଥିଲେ । ଜବାବରେ ବାଲିଆପଡ଼ା ଦଳ ଗୋଟିଏ ଓଭର ଥାଇ ମ୍ୟାଚଟିକୁ ୧୯ ଓଭରରେ ୨୨୯ରନ କରି ଜିତି ନେଇଥିଲେ । ବାଲିଆପଡ଼ା ଦଳ ପକ୍ଷରୁ ଗିରିଶ ପ୍ରଧାନ ୪୭ରନ କରିଥିଲେ । ପ୍ରଥମ ମ୍ୟାଚରେ ଅତିଥି ଭାବେ ପୂର୍ବତନ କ୍ରିକେଟିୟର ବ୍ରିଜେଶ ପ୍ରଧାନ ଯୋଗଦେଇ ସୁଆଁଗ ଦଳର ସମୀର ବଡ଼ଜେନାଙ୍କୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିବା ବେଳେ, ୨ୟ ମ୍ୟାଚରେ ସମାଜସେବୀ ବିରଂଚି ମହାପାତ୍ର ଯୋଗଦେଇ ବାଲିଆପଡ଼ା ଦଳର ଦୀପକ ହରିଚନ୍ଦନଙ୍କୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚକୁ ଆଜିର ମ୍ୟାଚକୁ ସୁଜିତ୍ ପରିଡ଼ା, ପ୍ରଶାନ୍ତ ପଡ଼ଯୋଶୀ ପରିଚାଳନା କରିଥିବା ବେଳେ, ସ୍କୋରରେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ସହାୟତା କରିଥିଲେ ।

Comments (0)
Add Comment