#
LR NEWS ୧.୨.୨୦୨୩- ଭଂଜନଗର ଗତ ତା ୨୯.୧.୨୩ ରିଖରେ ସମଗ୍ର ଘୁମୁସର ଦକ୍ଷିଣ ବନଖଣ୍ଡରେ ହୋଇଥିବା ବିରଳ କୃଷ୍ଣସାର ମୃଗ ଗଣନା ରିପୋର୍ଟ ଆଜି ସାର୍ବଜନୀନ ହୋଇଛି । ଡିଭିଜନର ଆସ୍କା,ପୋଲସରା,ବୁଗୁଡା ବନାଞ୍ଚଳ ର ମୃଗ ବିଚରଣ ଅଂଚଳ ଗୁଡିକୁ ବାଛି 64 ଟି ପ୍ରତ୍ୟକ୍ଷ ଗଣତି ୟୁନିଟ କରାଯାଇଥିଲା । ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାୟୀ ସେଦିନ ବନଖଣ୍ଡ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ରାଉତ(ଓଡ଼ିଶା ବନ ସେବା ) ଓ ସହକାରୀ ବନ ସଂରକ୍ଷକ ଶ୍ରୀ ପ୍ରଭାକର ନାୟକ (ଓଡିଶା ବନ ସେବା) ଓ 3 ଗୋଟି ବନାଞ୍ଚଳ ଅଧିକାରୀଙ୍କ ସମ୍ମିଳିତ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତ୍ୟକ୍ଷ ଗଣନା କାର୍ଯ୍ୟ ସକାଳ 6 ଠାରୁ ଦିନ 12 ଟା ଯାଏଁ ଏକକାଳୀନ ଚାଲୁ ରହିଥିଲା । ଗଣତିରେ ବନପାଳ, ବନରଖି,ପାର।ସ୍କ୍ୱାର୍ଡ-ବନ ସୁରକ୍ଷା କର୍ମୀ,ବିଭିନ୍ନ ବନ ସୁରକ୍ଷା ସମିତି ସଭ୍ୟବୃନ୍ଦ ମୁତୟନ ହୋଇଥିଲେ । ପ୍ରତ୍ୟେକ ଟିମ ରେ ଅନ୍ୟୁନ 5 ଜଣ ସଦସ୍ୟ ଥିଲେ ।
ଜଣେ ବରିଷ୍ଠ ଓ ଅଭିଜ୍ଞ କର୍ମଚାରୀ ଟିମର ନେତୃତ୍ୱ ନେଇଥିଲେ । ଡିଭିଜନର ବରିଷ୍ଠ କର୍ମଚାରୀ ମୁଖ୍ୟ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ଓ ବିଭିନ୍ନ କମ୍ପୁଟର ସହାୟକ ମାନେ ଏହି କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ । ଡିଭିଜନର କେନ୍ଦ୍ର ସ୍ଥଳୀ ଆସିକା ବନାଞ୍ଚଳ( ଚାରିମାଇଲି) କାର୍ଯ୍ୟାଳୟ ଠାରେ ଏକ ଅସ୍ଥାୟୀ କେନ୍ଦ୍ରୀୟ ଆକଳନ ସମୀକ୍ଷା କେନ୍ଦ୍ର ଖୋଲା ଯାଇ ତଥ୍ୟ ପଞ୍ଜିକରଣ କରାଯାଇଥିଲା। ଆସିକା ବନାଞ୍ଚଳ ଅଧିକାରୀ ଆମୂଳଚୂଳ ରହି କ୍ୟାମ୍ପ ଆୟୋଜନ କରିଥିଲେ । ତେବେ ବିଭାଗୀୟ ସୂଚନାରୁ ଜଣା ପଡ଼ିଛି ଯେ ଚଳିତ ବର୍ଷ ଅର୍ଥାତ 2023 ଜାନୁଆରୀ ଶେଷ ସୁଦ୍ଧା କୃଷ୍ଣସାରଙ୍କ ସଂଖ୍ୟା ସର୍ବମୋଟ 4636 କୁ ପହଂଚିଛି । ଏଥିରେ ଅଣ୍ଡିରା 938,ମାଈ 2999,ଛୁଆ 699 ରହିଛନ୍ତି । 2 ବର୍ଷ ପୂର୍ବେ ଅର୍ଥାତ 2021 ରେ ସର୍ବମୋଟ 4483 ରହିଥିଲା ,ଯେଉଁଥିରେ କି ଅଣ୍ଡିରା 1220,ମାଈ 2471,ଛୁଆ 792 ଥିଲେ ।
ତେବେ , କୃଷ୍ଣସାରଙ୍କ ସଂଖ୍ୟା ପୂର୍ବଭଳି ଆଶା ଜନକ ଭାବେ ବୃଦ୍ଧି ପାଇନଥିବା ପରିଲକ୍ଷିତ ହୋଇଛି । ବ୍ୟାପକ ଚରାଭୂଇଁ ଅଂଚଳ ପରିସରରେ ବ୍ୟକ୍ତିଗତ ମାଲିକାନାରେ ଥିବା ଚାରଣ ଭୂମି ଶସ୍ଯକ୍ଷେତ୍ର ଗୁଡିକରେ ଠାଏ ଠାଏ କୃଷି ଓ ପନିପରିବା, ମାଛ ଚାଷ ଫାର୍ମ ଇତ୍ୟାଦି ସୃଷ୍ଟି କରାଯାଇ ବିଜୁଳିବତୀ ଜଳିବା କାରଣରୁ,ପାନୀୟ ଜଳାଶୟ ଗୁଡିକରେ ବେଆଇନ ମାଛଚାଷ କାରଣରୁ ହୁଏତ ଅଂଚଳ ସଂକୀର୍ଣ୍ଣ ହୋଇ ମୃଗ ମାନେ ପଡୋଶୀ କ୍ଷେତ୍ର ମାନଙ୍କୁ ଖାଦ୍ୟ ଅନ୍ୱେଷଣରେ ପଳାଇ ଯାଉଥିବାର ଅନୁମେୟ ।