ଅଗ୍ନିଶମ କର୍ମଚାରୀ ଙ୍କ ମହାନତା, ବହୁ ଘାତ ପ୍ରତିଘାତ ପରେ ଗଭୀର କୂଅ ଭିତରୁ ଉଦ୍ଧାର କଲେ ମା ଓ ପୁଅ କୁ

ବ୍ରହ୍ମପୁର, (, ଟୁକୁନା ପ୍ରଧାନ, ୧.୦୯.୨୦୨୦ ) – :ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କୁମାରବେଗ୍ ପଲ୍ଲୀ ଗାଁରେ ଏକ ଗଭୀର କୂଅରୁ ମାଁ ଓ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ଛତ୍ରପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ । ରବିବାର ସକାଳୁ ଗାଁର ଅନ୍ନପୂର୍ଣ୍ଣା ଗୌଡ଼(୭୫) ନାମକ ଜଣେ ବୃଦ୍ଧା ନିଜ ଘରର ପଛପଟେ ଥିବା ଏକ କୂଅ ଉପରେ ବସିଥିବା ବେଳେ କୌଣସି ଅସବଧାନତା ବଶତଃ କୂଅ ଭିତରକୁ ଖସି ପଡିଥିଲେ ।

ଏନେଇ ନିଜ ପୁଅ ତିରୁପତି ଗୌଡ଼(୫୨) ଦେଖିବା ପରେ ମାକୁ ବଞ୍ଚାଇବାକୁ ଯାଇ ନିଜେ କୂଅ ଭିତରକୁ ପଶିଥିଲେ ଓ ସେ ମଧ୍ୟ କୂଅ ମଧ୍ୟରେ ଫସି ଯାଇଥିଲେ । ଏନେଇ ପଡୋଶୀ ଘର ଲୋକେ ଦେଖି ଛତ୍ରପୁର ଅଗ୍ନିଶମ ବିଭାଗର ସହାୟତା ପାଇଁ ଯୋଗା ଯୋଗ କରିଥିଲେ । ଛତ୍ରପୁର ଫାୟାର ଷ୍ଟେସନର ଅତିରିକ୍ତ ଫାୟାର ଅଫିସର ବିଶ୍ୱନାଥ ମହାନ୍ତି ଏହି ଘଟଣାକୁ ଗୁରୁତ୍ତର ସହ ନେଇ ନିଜ ଟିମକୁ ତୁରନ୍ତ ପ୍ରସ୍ତୁତ କରିବା ସହ ଘଟଣାସ୍ଥକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଯିବା ରାସ୍ତାରେ ବାଧକ ସାଜିଥିଲା ରେଳ ଲାଇନ । ରେଳ ଗେଟ୍ ପଡ଼ିଯାଇଥିବା ହେତୁ ଅଗ୍ନିଶମ କର୍ମଚାରୀଙ୍କ ଗାଡ଼ି ଆଗକୁ ଯାଇ ପାରିନଥିଲା । ଫଳରେ ସମୟ ବଢି ବଢି ଯାଉଥିବା ଯୋଗୁ ଅଗ୍ନିଶମ କର୍ମଚାରୀ ମାନେ ନିଜର ଉଦ୍ଧାର କରିବା ଲାଗି ବ୍ୟବହୃତ ଯନ୍ତ୍ରାଶ ଧରି ଚାଲି ଚାଲି ଓ ଜନ ସାଧାରଣଙ୍କ ମୋଟର ସାଇକେଲରେ ଲିଫ୍ଟ ମାଗି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ମା ଓ ପୁଅ ଫସିରହିଥିବା କୂଅର ଚଉଡ଼ା ୩ ଫୁଟ ହୋଇଥିବା ବେଳେ ଗଭୀର ୪୦ ଫୁଟ୍ ଥିଲା । ତେବେ ଅଗ୍ନିଶମ କର୍ମଚାରୀ ମାନେ ଦୀର୍ଘ ଅଧଘଣ୍ଟା ଅପରେସନ କରିବା ପରେ ପ୍ରଥମେ ମାକୁ ପରେ ପୁଅକୁ କୂଅ ଭିତରୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଏହି ଅପରେସନକୁ ଫାୟାର ମ୍ୟାନ ଅଭିରାମ ସାହୁ ଲିଡ୍ କରିଥିବା ବେଳେ ଡ୍ରାଇଭର ହାବିଲଦାର ରାକେଶ ମାନସିଂ, ଆଗ୍ନିକ ତପନ କୁମାର ବେହେରା , କାହ୍ନୁ ଶ୍ରୀଚନ୍ଦନ ବେହେରା, କିଶୋର ମାଝୀ ଓ ଜଗନ୍ନାଥ ଦାଶ ସହଯୋଗ କରିଥିଲେ । ମା ଓ ପୁଅ ଗଭୀର କୂଅରେ ଫସିଯାଇଥିବା ବେଳେ ଉଭୟଙ୍କୁ ସୁରକ୍ଷିତ ଭାବେ ଦେବଦୂତ ଭଳି ଉଦ୍ଧାର କରିଥିବା ଅଗ୍ନିଶମ କର୍ମଚାରୀ ମାନଙ୍କ ଉଦ୍ୟମ ଓ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment