ନୟାଗଡ଼,(LR NEWS ୯/୭/୨୦) ଆଜି ନୟାଗଡ଼ ବନଖଣ୍ଡ ଦ୍ୱାରା ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ନୟାଗଡ଼ ଆଂଚଳିକ ପରିବହନ କାର୍ଯ୍ୟାଳୟ ତଥା ନବୋଦୟ ବିଦ୍ୟାଳୟ ନିକଟରେ ଥିବା ବାଘରଡ଼ି ପାହାଡ଼ ନିକଟରେ ଅନୁଷ୍ଠିତ ୭୧ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ସହରକୁ ସବୁଜ ସୁନ୍ଦର କରିବା ପାଇଁ ବବ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ସାରା ରାଜ୍ୟରେ ୮ କୋଟି ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଏବଂ ନୟାଗଡ଼ ବନଖଣ୍ଡ ଅଂଚଳରେ ଲଗା ଯାଉଥିବା ବୃକ୍ଷର ସଠିକ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗ ଦେଇ ବାଘରଡ଼ି ଲଣ୍ଡା ପାହାଡ଼ରେ ଲଗାଯିବାକୁ ଥିବା ୨୪ ହଜାର ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାମ୍ପା ଯୋଜନାରେ ୧୫ ହେକ୍ଟର ଅଂଚଳରେ ନିମ, କରଞ୍ଜ, ସିମାରୁଆ, ଆମ୍ବ, ପଣସ, ରାଧାଚୁଡ଼ା, ବଉଳ, ବାହାଡ଼ ଆଦି ବୃକ୍ଷରୋପଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାଯାଇଛି । ଜିଲ୍ଲାର ପରିବେଶ ସୁରକ୍ଷା ପାଇଁ ଏହି ପାହାଡ଼ ସବୁଜ ସୁନ୍ଦର ହେବାର ଆବଶ୍ୟକତା ଥିବା ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ ।
ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତି ମାଳା ମହାନ୍ତି, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ ଦିଲ୍ଲୀପ କୁମାର ରାଉତ, ଅରବିନ୍ଦ ମହାନ୍ତି ଏବଂ ନୟାଗଡ଼ ବନାଞ୍ଚଳ ଅଧିକାରୀ ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଲୋକଙ୍କୁ ପୁରସ୍କୃତ କରାଯାଇଛି ।