ଗଞ୍ଜାମ, (LR NEWSଟୁକୁନା ପ୍ରଧାନ, ୦୪.୦୭.୨୦୨୦) – : ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗାଁ ରେ ଏକ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟ ଘଟିଛି । ମୃତ ଅଙ୍ଗନବାଡ଼ି କର୍ମୀ ହେଲେ ସେହି ଗ୍ରାମର ଭାରତୀ ସ୍ବାଇଁ । ସେ ଗତ କିଛି ଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ । ତାଙ୍କୁ ବୁଗୁଡା ସରକାରୀ ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ଏପରିକି କରୋନା ଯୋଦ୍ଧା ଭାବେ ନିଜ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ବହୁବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରୀ କରିଥିଲେ ମଧ୍ୟ ଟେଷ୍ଟ ହୋଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ । ଯାହାର ପ୍ରତିବାଦରେ ଉତ୍ଯକ୍ତ ଲୋକ ବୁଗୁଡା ମେଡ଼ିକାଲ ରେ ଭଙ୍ଗାରୁଜା କରିବା ସହ ମୃତଦେହ କୁ ଧରି ଆସିକା ଓ ନୟାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବୁଗୁଡା ଥାନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାର କୁ ବୁଝାସୁଝା କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେବା ପରେ ରାସ୍ତା ଉପରୁ ମୃତ ଅଙ୍ଗନବାଡ଼ି କର୍ମୀ ଙ୍କ ଶବ ହଟିଥିଲା ।