ଖୁଣ୍ଟ ଅଛି ହେଲେ ବ୍ୟୁଦତ୍ ନାହିଁ।

ବଅଁରପାଳ ବ୍ଲକ କନ୍ୟାବେଡା ତେଲିସାହି ଓ ଭୋଇ ସାହି ବାସିନ୍ଦାଙ୍କ ମୌଳିକ ସମସ୍ୟା ସୁଧାରୁନି ପ୍ରଶାସନ। ସାହିରେ ବିଜୁଳି, ପାନୀୟ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ସୁବିଧା ସୁଯୋଗରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପରିବାର ବଞ୍ଚିତ ହେଉଥିଲେ ହେଁ ଏ ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ସାହିବାସୀଙ୍କ ଅଭିଯୋଗ ମୁତାବକ, ସାହିର ଅଧିକାଂଶ ଲୋକ ବିପିଏଲ ଅନ୍ତର୍ଭୂକ୍ତ ହୋଇଥିବାବେଳେ ସେମାନଙ୍କ ଘରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିନାହିଁ। ରାଜୀବ ଗାନ୍ଧୀ ବିଦ୍ୟୁତୀକରଣ ଯୋଜନାରେ ଉକ୍ତ ୨ ସାହିରେ ୨ ବର୍ଷ ହେଲା ଖୁଣ୍ଟ ପୋତାଯାଇଛି, ଲୋକଙ୍କ ଘରେ ଓ୍ବେୟାରିଂ ମଧ୍ୟ ସରିଛି। ହେଲେ ଏ ଯାଏ ବିଦ୍ୟୁତ୍‌ ସୁବିଧା ପାଇପାରିନାହାନ୍ତି ସାହିବାସୀ। ସେହିପରି ସାହିରେ ପାନୀୟ ଜଳ ସଙ୍କଟ ମଧ୍ୟ ଲାଗି ରହିଛି। ସେଠାରେ ଗୋଟିଏ ମାତ୍ର ନଳକୂଅ ରହିଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଦୀର୍ଘବର୍ଷ ହେଲା ପାଇପ ପଏଣ୍ଟମାନ ସ୍ଥାପନ କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇପାରିନାହିଁ। ସାହିକୁ ଯିବାକୁ ଭଲ ରାସ୍ତାଟିଏ ମଧ୍ୟ ନ ଥିବାରୁ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବାକୁ ସାହିର କୈଳାସ ସାହୁ, ଗୁତିକା ସାହୁ, ଭୀମ ଭୋଇ, ପୂର୍ଣ୍ଣ ବେହେରା, ମରିଚି ଭୋଇ ପ୍ରମୁଖ ଦାବି କରିଛନ୍ତି। ଅତିରିକ୍ତ ବିଡିଓ ଦିଲୀପ ପ୍ରଧାନ କହିଛନ୍ତି, ଦୀର୍ଘ ଦିନ ହେଲା ଖୁଣ୍ଟ ପୋତାଯାଇଛି। ଲୋକେ କିପରି ସୁବିଧା ପାଇପାରିବେ ସେ ନେଇ ଶୀଘ୍ର ପଦକ୍ଷେପ ନିଆଯିବ।

Comments (0)
Add Comment