ଟାଙ୍ଗି, ୧୭/୦୮: (LR NEWS): ସ୍ୱାଧୀନତାର ୮୦ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି ସାରା ଦେଶରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ଗରିମାର ସହ ପାଳନ କରାଯାଇଛି। ଟାଙ୍ଗି ଥାନା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ଅଫିସର , ଓ ଗୃହରକ୍ଷୀ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ। ଦୀର୍ଘ ବର୍ଷର ଇଂରେଜ ଶାସନ ବିରୋଧରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନ ପରେ ଭାରତ ସ୍ୱାଧୀନତା ଲାଭ କରିଥିଲା। ତେଣୁ ଅଗଷ୍ଟ ୧୫ କେବଳ ଏକ ଜାତୀୟ ପର୍ବ ନୁହେଁ, ଏହା ଦେଶର ବୀର ସହିଦମାନଙ୍କ ତ୍ୟାଗକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ନିଜ କର୍ତ୍ତବ୍ୟ ପ୍ରତି ସଂକଳ୍ପବଦ୍ଧ ହେବାର ଦିନ ବୋଲି ମୂଖ୍ୟ ଅତିଥି ରବୀନ୍ଦ୍ର କୁମାର ଭୁଜବଳ କହିଥିଲେ।
ଦେଶପ୍ରେମର ଭାବନା ଓ ଜାତୀୟ ଏକତାର ବାର୍ତ୍ତା ମଧ୍ୟରେ ପୋଲିସ୍ ବିଭାଗର ୮୦ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।